Thursday, 16 July 2020

ବତ୍ରିଶ ସିଂହାସନ

ବତ୍ରିଶ ସିଂହାସନ

ନନ୍ଦପୁରର ବତ୍ରିଶ ସିଂହାସନ ଅବିଭକ୍ତ କୋରାପୁଟର ତଥା ଓଡ଼ିଶାର ଅନ୍ୟତମ ଐତିହାସିକ ସ୍ଥଳ, ଯାହା ତ୍ରୟୋଦଶ ଶତାବ୍ଦୀର ଶେଷ ଓ ଚତୁର୍ଦଶ ଶତାବ୍ଦୀର ପ୍ରାରମ୍ଭରେ ଶିଳା ବଂଶୀୟ ନରପତିଙ୍କ ଦ୍ଵାରା ନିର୍ମାଣ ହୋଇଥିଲା ।

ବତ୍ରିଶ ସିଂହାସନ

ଇତିହାସ କୁହେ, ଖ୍ରୀଷ୍ଟପୂର୍ବ ୩୫୦ ବେଳେ ଏହି ଅଞ୍ଚଳ ମହାକାନ୍ତର ରୂପେ ପରିଚିତ ଥିଲା । ଖ୍ରୀଷ୍ଟାବ୍ଦ ୨୦ ସମୟରେ ବିନ୍ଧ୍ୟ ଦେଶରେ ରାଜୁତି କରିବା ରାଜା ଅର୍ଜୁନ ଦେବ ବିକ୍ରମାଦିତ୍ୟଙ୍କ କନ୍ୟାଙ୍କୁ ବିବାହ କରିଥିଲେ । ସେହି ସମୟରେ ଉଜ୍ଜୟିନୀର ଦଶହରା ଏକ ଉଚ୍ଚ ସିଂହାସନରେ ପାଳନ ହେଉଥିଲା ।

ବତ୍ରିଶ ସିଂହାସନ

ଉଜ୍ଜ୍ଵୟନୀ ଅଧିପତିଗଣ ଦେବୀ ଉପାସକ ଥିବା ବେଳେ ଦଶହରାର କିଛି ସ୍ୱତନ୍ତ୍ର ନିୟମାବଳୀକୁ ପରିପାଳନ କରୁଥିଲେ । ତେବେ ରାଣୀଙ୍କ ଆଦେଶ କ୍ରମେ ଶିଳାବଂଶୀ ରାଜବଂଶ ଗାଣପତ୍ୟ ହୋଇ ମଧ୍ୟ ଏହି ପରମ୍ପରା ପାଳନ କରି ଆସିଲେ । ସେତେବେଳେ ତାଙ୍କ ରାଜଧାନୀ ଥାଏ ନନ୍ଦିବର୍ଦ୍ଧନରେ ।

ବତ୍ରିଶ ସିଂହାସନ

ନିଷାଦ ଅଞ୍ଚଳରେ ନଳବଂଶ ରାଜାଙ୍କ ବିଲୋପ ପରେ ମତ୍ସ୍ୟବଂଶର ଦୁର୍ବଳତା ସମୟରେ ଶିଳା ବଂଶୀୟ ରାଜାମାନେ ଏହିଠାରେ ପ୍ରବେଶ କରି ରାଜ୍ୟ ଶାସନ କଲେ ଏବଂ ଏହାର ନାମ ପୁରୁଣା ରାଜଧାନୀ ନାମରେ ନନ୍ଦପୁର ରଖିଲେ । ଏହି ବଂଶର ଅନ୍ୟ ଏକ ରାଜା ଅର୍ଜ୍ଜୁନ ରାଜୁ ପ୍ରଥମେ ଏହି ୩୨ପାବଚ୍ଛ ବିଶିଷ୍ଟ ସୌଧ ନିର୍ମାଣ କରି ଦଶହରା ଆରମ୍ଭ କଲେ ।

ବତ୍ରିଶ ସିଂହାସନ

ଏହା ପରେ ଉକ୍ତବଂଶୀୟ ରାଜା ଗଙ୍ଗା ରାଜଦେବ ଅନେକ ବର୍ଷ ନିରଙ୍କୁଶ ଶାସନ ଚଳାଇଲେ, ଏହି ବଂଶର ପୁତ୍ର ଭୈରବ ରାଜୁ ଅନ୍ୟ ମତେ ବିଶ୍ଵନାଥ ଜଣେ ପ୍ରତାପୀ ରାଜା ଥିଲେ । ଏହି ସମୟରେ ପଡ଼ୋଶୀ ମତ୍ସ୍ୟକାନ୍ତର ଜୟନ୍ତ ରାଜାଙ୍କ କନ୍ୟା ସିଙ୍ଗମାଙ୍କୁ ବିବାହ କରି ମତ୍ସ୍ୟ ରାଜ୍ୟ (ମାଲକାନଗିରି ଅଞ୍ଚଳ) ନନ୍ଦପୁର ସହ ମିଶ୍ରଣ କଲେ ।

ବତ୍ରିଶ ସିଂହାସନ

ଶିଳାବଂଶର ଶେଷ ରାଜା ଥିଲେ ପ୍ରତାପ ଗଙ୍ଗ ଦେବ ରାଜ ଯିଏକି ନିଜ ସାମ୍ରାଜ୍ୟ ବିସ୍ତୀର୍ଣ୍ଣ କରି ଉତ୍ତରରେ କଳାହାଣ୍ଡି, ନବରଙ୍ଗପୁରଠାରୁ ଦକ୍ଷିଣରେ ମୋଟୁ, ଭଦ୍ରାଚଳମ୍ ପର୍ଯ୍ୟନ୍ତ । ପଶ୍ଚିମରେ ବସ୍ତରଠାରୁ ପୂର୍ବରେ ଗୁଣପୁର, ଗୁମାଗଡ଼ ପର୍ଯ୍ୟନ୍ତ ଜୟ କରିଥିଲେ ।

ପ୍ରତାପ ରାଜଙ୍କ ଏକ ମାତ୍ର କନ୍ୟାଙ୍କ ସଙ୍ଗେ ଏହି ବଂଶର ଯବନିକା ଟଣା ହୋଇଥିଲା । ଆଉ ଏହାଠାରୁ ଆରମ୍ଭ ହୋଇଥିଲା ସୂର୍ଯ୍ୟବଂଶ ରାଜୁତି । ଏହି ପ୍ରସିଦ୍ଧ ନରପତିମାନଙ୍କ କୀର୍ତ୍ତି ଅନେକ ରହିଥିଲେ ହେଁ ଓଡ଼ିଶାର ଇତିହାସରେ ସ୍ୱଳ୍ପ ପରିଚିତ ।

No comments:

Post a comment